୪୦୬୦ କୋଟିର ପ୍ରକଳ୍ପ ଗୋପନରେ? ଅନ୍ଧାରରେ ଗ୍ରାମବାସୀ ଓ ମିଡିଆ!

କଳାହାଣ୍ଡି (ଚିତ୍ତରଞ୍ଜନ ବିଷି): କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୪୦୬୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୬୦୦ ମେଗାୱାଟ୍ ଉପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ରାଜ୍ୟର ଅନ୍ୟତମ ବୃହତ୍ ବିଦ୍ୟୁତ ପ୍ରକଳ୍ପ ଭାବେ ବିବେଚିତ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲେ ମଧ୍ୟ ସ୍ଥାନୀୟ ଲୋକ, ଜନପ୍ରତିନିଧି ଏବଂ ଗଣମାଧ୍ୟମକୁ ପୂର୍ବରୁ ସୂଚନା ନ ଦିଆଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି।

ସୂଚନା ଅନୁଯାୟୀ, ରାଣୀବାହାଲ ଗ୍ରାମ ନିକଟ ଉଦୟଗିରି ପାହାଡ଼ ପାଦଦେଶରେ ପ୍ରକଳ୍ପର ଶିଳାନ୍ୟାସ ଫଳକ ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପର ଅଟକଳ ମୂଲ୍ୟ ପ୍ରାୟ ୪୦୬୦ କୋଟି ଟଙ୍କା ରହିଥିବା ବେଳେ, ଏହା ଓଡ଼ିଶା ଜଳ ବିଦ୍ୟୁତ ନିଗମ (OHPC)ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ।

ପ୍ରକଳ୍ପ ଅନୁଯାୟୀ, ଇନ୍ଦ୍ରାବତୀ ଜଳଭଣ୍ଡାରର ପାଣିକୁ ସୁଡ଼ଙ୍ଗ ମାଧ୍ୟମରେ ଆଣି ୬୦୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ କରାଯିବ। ପରେ ଉଚ୍ଚକ୍ଷମତାସମ୍ପନ୍ନ ପମ୍ପ ସାହାଯ୍ୟରେ ସେହି ପାଣିକୁ ପୁଣି ଜଳଭଣ୍ଡାରକୁ ଫେରାଇ ଦିଆଯିବ। ଭବିଷ୍ୟତରେ ରାଜ୍ୟର ବିଦ୍ୟୁତ ଉତ୍ପାଦନ କ୍ଷମତା ବୃଦ୍ଧିରେ ଏହି ପ୍ରକଳ୍ପର ବିଶେଷ ଭୂମିକା ରହିବ ବୋଲି କୁହାଯାଉଛି।

ତେବେ, ଏତେ ବୃହତ୍ ପ୍ରକଳ୍ପର ଶିଳାନ୍ୟାସ ସମୟରେ ସ୍ଥାନୀୟ ବିଧାୟକ, ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଗ୍ରାମବାସୀ ଓ ଗଣମାଧ୍ୟମକୁ ସୂଚନା ନ ଦିଆଯିବାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଠୁଛି। ଏହା କେବଳ ପ୍ରଶାସନିକ ପ୍ରକ୍ରିୟା ଥିଲା ନା କୌଣସି କାରଣରୁ କାର୍ଯ୍ୟକ୍ରମକୁ ସୀମିତ ରଖାଗଲା, ସେନେଇ ସ୍ପଷ୍ଟତା ଆସିନାହିଁ।

ସ୍ଥାନୀୟ ବିଧାୟକ ପ୍ରଦୀପ ଦିଶାରୀ ଏହି ଘଟଣା ନେଇ ଅସନ୍ତୋଷ ପ୍ରକାଶ କରିଥିବା ସହ ଏହି ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଚିଠି ମାଧ୍ୟମରେ ଆଣିବେ ବୋଲି କହିଥିବା ସୂଚନା ମିଳିଛି। ସେହିପରି କଳାହାଣ୍ଡିର ସାଂସଦ ମାଲବିକା ଦେବୀ ମଧ୍ୟ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା କୁହାଯାଉଛି।

ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ହେଉଛି, ଯଦି ଏହା କଳାହାଣ୍ଡି ପାଇଁ ଏକ ଐତିହାସିକ ଏବଂ ବହୁ ପ୍ରତୀକ୍ଷିତ ପ୍ରକଳ୍ପ, ତେବେ ଶିଳାନ୍ୟାସ ଉତ୍ସବକୁ ସାର୍ବଜନୀନ କରାଯାଇନଥିଲା କାହିଁକି? ପ୍ରଭାବିତ ଗ୍ରାମବାସୀଙ୍କ ସହ କୌଣସି ଖୋଲା ଆଲୋଚନା କିମ୍ବା ଜନଶୁଣାଣି ହୋଇଥିଲା କି? ଏଭଳି ଅନେକ ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜର ଏକ କାର୍ଯ୍ୟକ୍ରମରୁ ଭର୍ଚୁଆଲ୍ ମାଧ୍ୟମରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ତଥାପି କଳାହାଣ୍ଡିରେ ଏହାକୁ ନେଇ କୌଣସି ବୃହତ୍ ସାର୍ବଜନୀନ କାର୍ଯ୍ୟକ୍ରମ ନ ହେବା ଏବଂ ସୂଚନାର ଅଭାବକୁ ନେଇ ପ୍ରଶ୍ନ ଉଠୁଛି।

ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୫ଟା ସମୟରେ OHPCର କିଛି ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତିରେ ଶିଳାନ୍ୟାସ ଫଳକ ଅନାବରଣ କରାଯାଇଥିଲା।

ତେବେ ଏହି ସମସ୍ତ ପ୍ରସଙ୍ଗରେ OHPC କିମ୍ବା ସମ୍ପୃକ୍ତ ପ୍ରଶାସନ ପକ୍ଷରୁ ବିସ୍ତୃତ ସରକାରୀ ସ୍ପଷ୍ଟୀକରଣ ଆସିବା ବାକି ରହିଛି। ସ୍ପଷ୍ଟୀକରଣ ଆସିଲେ ଘଟଣାର ପ୍ରକୃତ ଚିତ୍ର ସାମ୍ନାକୁ ଆସିପାରିବ।

Leave a Reply

Your email address will not be published. Required fields are marked *