ନିମ୍ କାରୋଲି ବାବାଙ୍କ ଜୀବନୀରୁ ଅନୁପ୍ରାଣିତ ଚଳଚ୍ଚିତ୍ର ‘ହନୁମାନ ଅଂଶ’ ବକ୍ସ ଅଫିସ ସଫଳତା ଚର୍ଚ୍ଚାକୁ ଆଣିଛି । ଲାଭ ଦୃଷ୍ଟିରୁ 2 କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଭାରତୀୟ ସିନେମାର ବଡ଼ ଫିଲ୍ମଗୁଡ଼ିକୁ ମଧ୍ୟ ପଛରେ ପକାଇ ଦେଇଛି । ‘ହନୁମାନ ଅଂଶ’ 2026 ରେ ମୁକ୍ତିଲାଭ କରିଥିବା ଦ୍ୱିତୀୟ ସର୍ବାଧିକ ଆୟକାରୀ ହିନ୍ଦୀ ଚଳଚ୍ଚିତ୍ର ‘ଧୁରନ୍ଧର 2’ କୁ ପଛରେ ପକାଇ ଦେଇଛି । ମାତ୍ର ୧୦ ଲକ୍ଷ ଟଙ୍କାରୁ ନିଜର ଯାତ୍ରା ଆରମ୍ଭ କରିଥିବା ଏହି ଫିଲ୍ମଟି ଏବେ ୩୦ ଦିନରେ ୧୦୦ କୋଟି ଟଙ୍କା ଆୟର ମାଇଲଖୁଣ୍ଟ ଅତିକ୍ରମ କରିଛି । ରିପୋର୍ଟ ଅନୁଯାୟୀ, ଫିଲ୍ମଟି ୩୦ତମ ଦିନରେ ପ୍ରାୟ ୧୬.୨୫ କୋଟି ଟଙ୍କା ଆୟ କରିଛି । ଏହାସହ ଭାରତରେ ଏହାର ନେଟ୍ କଲେକ୍ସନ୍ ୯୯.୧୩ କୋଟି ଏବଂ ଗ୍ରସ୍ କଲେକ୍ସନ୍ ୧୧୭.୨୭ କୋଟି ଟଙ୍କାରେ ପହଞ୍ଚିଛି । ମାତ୍ର ୨ କୋଟି ବଜେଟ୍ ଥିବା ଏହି ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୮.୫ ଗୁଣା ଅଧିକ ଲାଭ ଅର୍ଜନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦର୍ଶକମାନେ ସୋସିଆଲ ମିଡିଆରେ ଏହି ଫିଲ୍ମର ମୁକ୍ତକଣ୍ଠରେ ପ୍ରଶଂସା କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଦେଖିବା ପାଇଁ ଅନୁରୋଧ କରୁଛନ୍ତି ।
ଘୋଷଣା ହେଲା ଫିଲ୍ମର ସିକ୍ୱେଲ୍:
ଫିଲ୍ମର ଅପାର ସଫଳତାକୁ ଦେଖି ନିର୍ଦ୍ଦେଶକ ବିଶାଲ ଏହାର ସିକ୍ୱେଲ୍ ନିର୍ମାଣ ହେବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଆଗାମୀ ପାର୍ଟରେ ନୀମ କରୋଲି ବାବାଙ୍କ ଜୀବନର ଅନ୍ୟାନ୍ୟ ପ୍ରମୁଖ ସ୍ଥାନ ଯଥା- ତାଙ୍କ ଜନ୍ମସ୍ଥାନ ଫିରୋଜାବାଦ, ଆଗ୍ରା, ମଥୁରା ଏବଂ ସେମାନଙ୍କ ଆଧ୍ୟାତ୍ମିକ ଯାତ୍ରା ସହ ଜଡ଼ିତ ରହସ୍ୟଗୁଡ଼ିକୁ ପରଦାରେ ଦର୍ଶାଯିବ । ଏହି ଫିଲ୍ମଟି ଗତ ୭ ଅଗଷ୍ଟରେ ସିନେମାଘରକୁ ଆସିଥିଲା । ‘କାନ୍ତାରା’ ଏବଂ ‘କେଜିଏଫ୍’ର ନିର୍ମାତା ‘ହୋମ୍ବଲେ ଫିଲ୍ମସ୍’ ଏହାର ବିଶ୍ୱବ୍ୟାପୀ ପ୍ରଦର୍ଶନ ଦାୟିତ୍ୱ ନେଇଛନ୍ତି । ଫିଲ୍ମରେ ଶୋଭିନୌ ସତ୍ୟା, ଚନ୍ଦନ ଆନନ୍ଦ, ପୂର୍ଣ୍ଣିମା ତିୱାରୀ ଏବଂ ବିହାନ ଶେଡ଼ଗେ ପ୍ରମୁଖ କଳାକାର ଅଭିନୟ କରିଛନ୍ତି । ନୀମ କରୋଲି ବାବାଙ୍କ ଅଲୌକିକ ଜୀବନୀ ଓ ଭକ୍ତିଭାବ ଉପରେ ପର୍ଯ୍ୟବସିତ ଏହି ଫିଲ୍ମଟି କମ୍ ବଜେଟ୍ ସତ୍ତ୍ୱେ ବଲିଉଡ୍ରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛି ।




