ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ପୁଣି ଥରେ ଚାନ୍ଦା ଆଦାୟକାରୀ ଗ୍ୟାଙ୍ଗ ସକ୍ରିୟ ହୋଇଉଠିଛନ୍ତି। ବିଭିନ୍ନ ସମୟରେ ନକଲି ସରକାରୀ ଅଫିସରଙ୍କ ରୂପ ନେଇ ଧମକଚମକ ଦେବା ସହ ଟଙ୍କା ଲୁଟ୍ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ତେବେ ଏହାକୁ ରୋକିବାରେ ଜଳେଶ୍ୱର ପୋଲିସ ତରଫରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ତେଜୁଛି ଅସନ୍ତୋଷ।।ସୂଚନା ଅନୁଯାୟୀ, ଗତ ଶନିବାର ରାତି ପ୍ରାୟ ୧୦ଟା ସମୟରେ ବିହାର ରାଜ୍ୟ ଜାମୁଇ ଜିଲ୍ଲା ଚନ୍ଦ୍ରଦୀପ ଥାନା ଅନ୍ତର୍ଗତ ନବୀନଗର ଗ୍ରାମର ଟ୍ରକ୍ ଡ୍ରାଇଭର ଏମ.ଡି. ସଲିମ୍ ଭଦ୍ରକରୁ ଅଳିଆ (ବର୍ଜ୍ୟବସ୍ତୁ) ବୋଝେଇ କରି ପଶ୍ଚିମବଙ୍ଗର ମେଦିନୀପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ୫ ଜଣ ଦୁର୍ବୃତ୍ତ ତାଙ୍କ ଟ୍ରକକୁ ଅଟକାଇଥିଲେ।
ନିଜକୁ ‘ସେଲ୍ସଟେକ୍ସ ଅଫିସର’ ( ବୋଲି ପରିଚୟ ଦେଇ ସେମାନେ ଡ୍ରାଇଭରଙ୍କୁ ୧୦ ହଜାର ଟଙ୍କା ଚାନ୍ଦା ମାଗିଥିଲେ। ଡ୍ରାଇଭର ଜଣକ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଉଗ୍ର ରୂପ ଧାରଣ କରିଥିଲେ। ସେମାନେ ଟ୍ରକକୁ ଅଟକାଇ ରଖିବା ସହ ଡ୍ରାଇଭରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏତିକିରେ ସେମାନଙ୍କ ମନ ବୁଝିନଥିଲା; ଦୁର୍ବୃତ୍ତମାନେ ଏକ ପଥର ସାହାଯ୍ୟରେ ଡ୍ରାଇଭର ସଲିମଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଟ୍ରକର ସମ୍ମୁଖ କାଚକୁ ମଧ୍ୟ ଭାଙ୍ଗି ଚୂରମାର କରିଦେଇଥିଲେ। ଏହାପରେ ଡ୍ରାଇଭରଙ୍କ ପାଖରେ ଥିବା ସମସ୍ତ ନଗଦ ଟଙ୍କା ଛଡ଼ାଇ ନେଇଥିଲେ। ଯାଇଥିବା ବେଳେ ଦୁର୍ବୃତ୍ତମାନେ ଧମକ ଦେଇ କହିଥିଲେ ଯେ, ଯଦି ଏ ବାବଦରେ କାହାକୁ କିଛି କୁହାଯାଏ, ତେବେ ଟ୍ରକରେ ନିଆଁ ଲଗାଇ ଦେବା ସହ ଡ୍ରାଇଭରଙ୍କୁ ଜୀବନରୁ ଶେଷ କରିଦିଆଯିବ। ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅବସ୍ଥାରେ ଡ୍ରାଇଭର ଏମ.ଡି. ସଲିମଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଘଟଣା ନେଇ ଆହତ ଡ୍ରାଇଭର ଜଳେଶ୍ୱର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।




