ଡିଜିଟାଲ ଯୁଗରେ ମୋବାଇଲ ଫୋନ ଆଜି ମଣିଷର ଦୈନନ୍ଦିନ ଜୀବନର ଏକ ଅପରିହାର୍ଯ୍ୟ ଅଂଶ ପାଲଟିଛି। ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟାଙ୍କିଙ୍ଗ, ସରକାରୀ ସେବାଠାରୁ ଆରମ୍ଭ କରି ପରିବାର ସହ ଯୋଗାଯୋଗ ପର୍ଯ୍ୟନ୍ତ ସବୁକିଛି ଏବେ ମୋବାଇଲ ନେଟୱାର୍କ ଉପରେ ନିର୍ଭରଶୀଳ। ଦେଶରେ ୫ଜି ସେବା ବିସ୍ତାର ପାଉଥିବା ବେଳେ ଗଞ୍ଜାମ ଜିଲ୍ଲାର ଆନ୍ଧ୍ର ସୀମାନ୍ତବର୍ତ୍ତୀ ପାତ୍ରପୁର ବ୍ଲକର ୩୦ରୁ ଅଧିକ ଦୁର୍ଗମ ଆଦିବାସୀ ଗ୍ରାମରେ ଆଜି ମଧ୍ୟ ମୋବାଇଲ ନେଟୱାର୍କ ଅପହଞ୍ଚ ହୋଇ ରହିଛି। ଫଳରେ ଗ୍ରାମବାସୀଙ୍କ ପାଇଁ ପାହାଡ଼ ଶିଖର ହିଁ ନେଟୱାର୍କ ମିଳିବାର ଏକମାତ୍ର ଭରସା ପାଲଟିଛି। ପାତ୍ରପୁର ବ୍ଲକର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଥିବା ଅନେକ ଆଦିବାସୀ ଗ୍ରାମରେ ଏପର୍ଯ୍ୟନ୍ତ ମୋବାଇଲ ଟାୱାର ସ୍ଥାପନ ହୋଇନାହିଁ। ଏହାର ପ୍ରଭାବରେ ଗୁରୁତର ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ଡାକିବା, ପରିଜନଙ୍କ ସହ କଥା ହେବା କିମ୍ବା ଜରୁରୀ ସୂଚନା ପହଞ୍ଚାଇବା ଭଳି ସାଧାରଣ କାମ ପାଇଁ ମଧ୍ୟ ଗ୍ରାମବାସୀଙ୍କୁ ପାହାଡ଼ ଉପରକୁ କିମ୍ବା ଉଚ୍ଚ ସ୍ଥାନକୁ ଚଢ଼ିବାକୁ ପଡ଼ୁଛି। କେତେକ ସ୍ଥାନରେ ନେଟୱାର୍କ ପାଇବା ପାଇଁ ଲୋକେ ଗଛ ଚଢ଼ୁଥିବା କିମ୍ବା ମୋବାଇଲକୁ ବାଉଁଶ ଖୁଣ୍ଟରେ ବାନ୍ଧି ଝୁଲାଇ ରଖୁଥିବା ଦୃଶ୍ୟ ମଧ୍ୟ ସାଧାରଣ ହୋଇପଡ଼ିଛି।
ବ୍ଲକର ତାଳବାଡ଼, ସଚର ଓ ଅର୍ଜୁବା ଅଞ୍ଚଳର କିଛି ଗ୍ରାମବାସୀ ଆନ୍ଧ୍ରପ୍ରଦେଶର ମୋବାଇଲ ଟାୱାର ଉପରେ ନିର୍ଭର କରୁଥିବା ବେଳେ ଆଙ୍କୁଲି, ତୁମ୍ବା ଓ ବୁରାତାଲ ପଞ୍ଚାୟତର ଅନେକ ଗ୍ରାମକୁ ଗଜପତି ଜିଲ୍ଲାର ରାମଗିରି ଅଞ୍ଚଳରୁ ସୀମିତ ନେଟୱାର୍କ ସେବା ମିଳୁଛି। ବର୍ଷାଦିନରେ ଏହି ସେବା ମଧ୍ୟ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଏ। ଫଳରେ ସକାଳ ହେଲେ ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ନେଟୱାର୍କ ଥିବା ସ୍ଥାନକୁ ଧାଇଁ ଯାଉଛନ୍ତି। ଆଙ୍କୁଲି, ରାଇଖାଲ, ବେହେରାପୁଟୁ, ଏଲଗଲ, ଖଳାସାହି, କୁରୁଗୁଡ଼ା, ମହାଲିମ୍ବ, ଧୋବାଲିଙ୍ଗି, ବାଦୁଆ, ତାବୁଡ଼ିଆ, ଲାୟୁସାହି, ବୁରସାହି ସମେତ ୩୦ରୁ ଅଧିକ ଆଦିବାସୀ ଗ୍ରାମରେ ମୋବାଇଲ ସେବା ପହଞ୍ଚିପାରିନାହିଁ। ଏହି ସମସ୍ୟାର ସବୁଠାରୁ ଅଧିକ ପ୍ରଭାବ ପଡ଼ୁଛି ଛାତ୍ରଛାତ୍ରୀଙ୍କ ଉପରେ। ଅନଲାଇନ ପାଠପଢ଼ା, ଛାତ୍ରବୃତ୍ତି ଆବେଦନ, ପରୀକ୍ଷା ଫର୍ମ ପୂରଣ ଓ ବିଭିନ୍ନ ଡିଜିଟାଲ ସେବାରୁ ସେମାନେ ବଞ୍ଚିତ ହେଉଛନ୍ତି। ସେହିପରି ଜରୁରୀ ଚିକିତ୍ସା, ସରକାରୀ ଯୋଜନାର ଅନଲାଇନ ସେବା ଓ ବ୍ୟାଙ୍କିଙ୍ଗ କାର୍ଯ୍ୟରେ ମଧ୍ୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡିଜିଟାଲ ଭାରତର ସ୍ୱପ୍ନ ସେତେବେଳେ ସାର୍ଥକ ହେବ, ଯେତେବେଳେ ପାହାଡ଼ ତଳର ଶେଷ ଆଦିବାସୀ ଗ୍ରାମରେ ମଧ୍ୟ ନିରବଚ୍ଛିନ୍ନ ମୋବାଇଲ ସେବା ପହଞ୍ଚିବ। ତେଣୁ ପାତ୍ରପୁର ବ୍ଲକର ଏହି ଦୁର୍ଗମ ଅଞ୍ଚଳରେ ତୁରନ୍ତ ନୂତନ ମୋବାଇଲ ଟାୱାର ସ୍ଥାପନ କରି ନେଟୱାର୍କ ସେବା ସୁନିଶ୍ଚିତ କରିବାକୁ ସ୍ଥାନୀୟ ବାସିନ୍ଦାମାନେ ଦୃଢ଼ ଦାବି କରିଛନ୍ତି।




