ପାରଳାଖେମୁଣ୍ଡି ରେଳ ଷ୍ଟେସନ ଲୋକାର୍ପିତ; ମହାରାଜା ଗୌରଚନ୍ଦ୍ରଙ୍କୁ ଅବମାନନା ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି, ୧୭/୭ ବହୁ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ଅମୃତ ଭାରତ ଷ୍ଟେସନ ଯୋଜନାରେ ନବରୂପ ପାଇଥିବା ଐତିହାସିକ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଶୁକ୍ରବାର ଲୋକାର୍ପିତ ହୋଇଛି। ପ୍ରାୟ ୧୭ କୋଟି ଟଙ୍କା ବ୍ୟୟରେ ପୁନଃବିକଶିତ ଏହି ଷ୍ଟେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବର ଜଳନ୍ଧର କ୍ୟାଣ୍ଟନମେଣ୍ଟରୁ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଦେଶର ୨୦ଟି ରାଜ୍ୟର ୭୫ଟି ପୁନଃବିକଶିତ ରେଳ ଷ୍ଟେସନ ସହ ଓଡ଼ିଶାର ସାତଟି ଷ୍ଟେସନ ମଧ୍ୟ ଲୋକାର୍ପିତ ହୋଇଛି। ପାରଳାଖେମୁଣ୍ଡି ଷ୍ଟେସନ ପରିସରରେ ଆୟୋଜିତ ସ୍ଥାନୀୟ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ରାୟଗଡ଼ ରେଳ ଡିଭିଜନର ଡିଆରଏମ ଅମିତ ସିଙ୍ଘଲ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏବଂ ଏସ୍‌ପି ପ୍ରହ୍ଲାଦ ସହାୟ ମୀନା ଉପସ୍ଥିତ ଥିଲେ।


ତେବେ ଉଦ୍ଘାଟନ ଉତ୍ସବ ମଧ୍ୟରେ ଏକ ବିବାଦ ମଧ୍ୟ ମୁଣ୍ଡ ଟେକିଥିଲା। ପାରଳାଖେମୁଣ୍ଡି ରେଳପଥ ଓ ଷ୍ଟେସନ ନିର୍ମାଣରେ ଗଜପତି ମହାରାଜା ଗୌରଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ଐତିହାସିକ ଅବଦାନ ଥିବା ସତ୍ତ୍ୱେ ଷ୍ଟେସନ ପରିସରରେ ତାଙ୍କର ପ୍ରତିମୂର୍ତ୍ତି କିମ୍ବା ଫଟୋଚିତ୍ର ସ୍ଥାନ ପାଇନଥିବାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଥିଲେ। ସଞ୍ଜୟ ଜେନା, ଭଗବତ ପାଢ଼ୀଙ୍କ ସମେତ ଅନେକ ବୁଦ୍ଧିଜୀବୀ ଏହାର ପ୍ରତିବାଦ କରି ମହାରାଜାଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରିବାକୁ ଦାବି ଉଠାଇଥିଲେ। ଏହି ପ୍ରସଙ୍ଗରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଥିଲେ ଯେ, ଗଜପତି ମହାରାଜାଙ୍କ ଐତିହାସିକ ଅବଦାନକୁ ସ୍ମରଣୀୟ କରି ରଖିବା ପାଇଁ ପ୍ରଶାସନ ପକ୍ଷରୁ ରେଳ ମନ୍ତ୍ରାଳୟକୁ ଚିଠି ଲେଖାଯିବ। ବିଧାୟକ ରୂପେଶ ପାଣିଗ୍ରାହୀ ମଧ୍ୟ ଦାବିକୁ ସମର୍ଥନ କରି କହିଥିଲେ ଯେ, ସେ ପୂର୍ବରୁ ରେଳ ମନ୍ତ୍ରାଳୟକୁ ଏ ସମ୍ପର୍କରେ ଚିଠି ଲେଖିଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ପୁଣିଥରେ ଲେଖିବେ।


ସେ ଆହୁରି କହିଥିଲେ, ନୂତନ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ଆଧୁନିକ ସୁବିଧା ଉପଲବ୍ଧ ହୋଇଥିବାବେଳେ ପାରଳାଖେମୁଣ୍ଡିରୁ ଭୁବନେଶ୍ୱର, କୋଲକାତା, ଚେନ୍ନାଇ ଓ ହାଇଦ୍ରାବାଦକୁ ଅଧିକ ଟ୍ରେନ୍ ଚଳାଚଳ, ଷ୍ଟେସନ ନିକଟରେ ଓଭରବ୍ରିଜ୍ ଓ ପ୍ରସ୍ତାବିତ ଲେଭେଲ କ୍ରସିଂ ନିର୍ମାଣ ପାଇଁ ରେଳ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି। ଅନ୍ୟପକ୍ଷରେ ଡିଆରଏମ ଅମିତ ସିଙ୍ଘଲ କହିଥିଲେ, ରେଳବାଇର ପ୍ରଚଳିତ ପ୍ରୋଟୋକଲ ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ଷ୍ଟେସନ ପରିସରରେ ସ୍ଥାପନ କରାଯାଇପାରିବ ନାହିଁ। ତେବେ ଷ୍ଟେସନର ନାମକରଣ କିମ୍ବା ଅନ୍ୟ କୌଣସି ଦାବି ଥିଲେ ତାହାକୁ ଲିଖିତ ଭାବେ ଜଣାଇଲେ ରେଳ ବିଭାଗ ପକ୍ଷରୁ ବିଚାର କରାଯିବ ବୋଲି ସେ ସ୍ପଷ୍ଟ କରିଥିଲେ। ଉଦ୍ଘାଟନ ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *