ବିକାଶ ପାଇଁ ନିଜ ଘର ଦେଲେ ବଳି, ନିଜେ ଉଦାହରଣ ସାଜିଲେ ମୁଖ୍ୟମନ୍ତ୍ରୀ

୨୦୨୮ ସିଂହସ୍ଥ ମହାକୁମ୍ଭକୁ ନେଇ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ପ୍ରସ୍ତୁତି ଜୋରଦାର ହୋଇଛି। ଶ୍ରଦ୍ଧାଳୁଙ୍କ ଯାତାୟାତକୁ ସୁବିଧାଜନକ କରିବା ପାଇଁ ବିଭିନ୍ନ ରାସ୍ତାକୁ ଚଉଡ଼ା କରାଯାଉଛି। ଏହି ପ୍ରକ୍ରିୟାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବଙ୍କ ପୈତୃକ ଘର ମଧ୍ୟ ଭାଙ୍ଗିବାକୁ ପଡିଛି। ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଭଉଣୀଙ୍କ ଘର ସମେତ ଅଞ୍ଚଳର ୨୭୨ଟି ଘରକୁ ନୋଟିସ୍ ଦିଆଯାଇଥିଲା। ରବିବାର ମୋହନ ଯାଦବ ନିଜ ପୈତୃକ ଘରକୁ ପହଞ୍ଚି ପ୍ରଥମେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ନିଜେ ଗଇଁତି ଧରି ଘରର ଆଗପଟ ଅଂଶକୁ ଭାଙ୍ଗିବା ଆରମ୍ଭ କରିଥିଲେ।

ପୈତୃକ ଘର ଭାଙ୍ଗିବା ବେଳେ ଭାବୁକ ହେଲେ ମୋହନ ଯାଦବ
ଏହି ସମୟରେ ନିଜ ପୈତୃକ ଘର ସହ ଜଡ଼ିତ ସ୍ମୃତିକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁ ଘରେ ଆମେ ଛୋଟରୁ ବଡ଼ ହୋଇଛୁ, ଖେଳିଛୁ ଏବଂ ଜୀବନର ଅନେକ ସ୍ମୃତି ଜଡ଼ିତ, ସେହି ଘରକୁ ଭାଙ୍ଗିବା ନିଶ୍ଚିତ ଭାବେ ମନକୁ କଷ୍ଟ ଦିଏ। ଯଦି ସିଂହସ୍ଥ ପାଇଁ ଏହା ଜରୁରୀ ତେବେ ଆମେ ଏହାକୁ ବଳିଦାନ ଦେବାକୁ ଚାହିଁବୁ। ଆମେ ସମସ୍ତେ ମିଶିକି ତାହା କରୁଛୁ। ପୁରା ଦେଶ ଏହା ମଧ୍ୟ ଦେଖୁଛି, ଲୋକେ ନିଜର ଘରକୁ ଆନନ୍ଦରେ ଭାଙ୍ଗୁଛନ୍ତି,ଯାହାଫଳରେ ଅନ୍ୟମାନଙ୍କୁ ଯେପରି ଅସୁବିଧା ନହେବ। ମହାକୁମ୍ଭ ପାଇଁ ଏହା ଆବଶ୍ୟକ ହେଲେ ଏହି ତ୍ୟାଗ ବି କରିବାକୁ ପଡ଼ିବ।

୭୩୦ ମିଟର ରାସ୍ତା ହେବ ଚଉଡ଼ା
ସିଂହସ୍ଥ ୨୦୨୮ ସମୟରେ ଉଜ୍ଜୟିନୀକୁ ଦେଶର ବିଭିନ୍ନ ସ୍ଥାନରୁ କୋଟି କୋଟି ଶ୍ରଦ୍ଧାଳୁ ଆସିବାର ଆଶା ରହିଛି। ଏହାକୁ ଦୃଷ୍ଟିରେ ରଖି ଖଜୁର ବାଲି ମସଜିଦରୁ ଅବ୍ଦାଲପୁରା ଏବଂ ଗଣେଶ ଚୌକ ପର୍ଯ୍ୟନ୍ତ ପ୍ରାୟ ୭୩୦ ମିଟର ଲମ୍ବା ରାସ୍ତାକୁ ୧୫ ମିଟର ଚଉଡ଼ା କରାଯାଉଛି। ଏହି ପ୍ରକଳ୍ପ ପାଇଁ ପ୍ରାୟ୯.୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ରାସ୍ତା ଚଉଡ଼ା ହେଲେ ସିଂହସ୍ଥ ସମୟରେ ଶ୍ରଦ୍ଧାଳୁଙ୍କ ଯାତାୟାତ ଅଧିକ ସୁଗମ ହେବ ବୋଲି ପ୍ରଶାସନ ଆଶା କରୁଛି।

ଲୋକଙ୍କ ସହଯୋଗକୁ ପ୍ରଶଂସା
ମୁଖ୍ୟମନ୍ତ୍ରୀ ଉଜ୍ଜୟିନୀବାସୀଙ୍କ ସହଯୋଗକୁ ମଧ୍ୟ ପ୍ରଶଂସା କରିଥିଲେ। ସିଂହସ୍ଥ ପ୍ରସ୍ତୁତି ପାଇଁ ବିଭିନ୍ନ ସମ୍ପ୍ରଦାୟର ଲୋକ ନିଜ ଘର ଏବଂ ଧାର୍ମିକ ସ୍ଥଳର କିଛି ଅଂଶ ପଛକୁ ହଟାଇବାରେ ସହଯୋଗ କରିଥିବା ସେ କହିଥିଲେ। ସାର୍ବଜନୀନ ଉଦ୍ଦେଶ୍ୟ ପାଇଁ ବ୍ୟକ୍ତିଗତ ସ୍ୱାର୍ଥ ଉପରେ ଉଠି ତ୍ୟାଗ କରିବା ଆବଶ୍ୟକ ବୋଲି ମୋହନ ଯାଦବ ମତ ଦେଇଥିଲେ। ନିଜ ପୈତୃକ ଘରର ଅଂଶ ଭାଙ୍ଗିବାରେ ନିଜେ ଗଇଁତି ଚଳାଇ ସେ ସିଂହସ୍ଥ ପ୍ରସ୍ତୁତିରେ ସହଯୋଗର ଏକ ଉଦାହରଣ ଦେଇଥିବା କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦର୍ଶକୁ ଅନୁସରଣ

ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଥିଲେ ଯେ ସାର୍ବଜନୀନ ଜୀବନରେ ବଞ୍ଚିବା ସମୟରେ ସର୍ବଦା ଏପରି ଉଦାହରଣ ସ୍ଥାପନ କରିବା ଉଚିତ ଯାହା ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାଦାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ବିଷୟରେ ଆଲୋଚନା କରି କହିଥିଲେ ସେ ସର୍ବଦା ବ୍ୟକ୍ତିଗତ ସ୍ୱାର୍ଥରୁ ଊର୍ଦ୍ଧ୍ୱରେ ରହି ସୁଶାସନ ଏବଂ ଶାସନକୁ ପ୍ରାଥମିକତା ଦିଅନ୍ତି। ତାଙ୍କର ଏହି ଆଚରଣ ଆମକୁ ପ୍ରେରଣା ଦିଏ।

Leave a Reply

Your email address will not be published. Required fields are marked *