ଯୁକ୍ତଦୁଇ କଳା ପରୀକ୍ଷା ରେ ମାଲକାନଗିରି ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର କୃତୀଛାତ୍ରୀ ଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଦନା ଜଣାଯାଇଛି। ମାଲକାନଗିରି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ପ୍ରତିଭାରାଣୀ ନାୟକ ଚଳିତ ବର୍ଷ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା ପରୀକ୍ଷାରେ ୫୦୯ ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ତଥା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୋମନାଥ ପ୍ରଧାନ କୃତି ଛାତ୍ରୀ ପ୍ରତିଭା ରାଣୀ ନାୟକ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ବର୍ଦ୍ଦନା କାର୍ଯ୍ୟକ୍ରମ ରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଦୁଷ୍ମନ୍ତ କୁମାର ଜେନା, ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ, ଅଧ୍ୟାପକ ସୁନାଧର ପୂଜାରୀ, ମୃତ୍ୟୁଞ୍ଜୟ ଶତପଥୀ ଏବଂ ବିଦ୍ୟାଳୟ ର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ବିଦ୍ୟାଳୟ ର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ପ୍ରତୀଭାରାଣୀ ନାୟକ ଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ମାଲକାନଗିରି ଭଳି ଏକ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ନାରୀଶିକ୍ଷାର ପ୍ରଚାର ପ୍ରସାରରେ ଜିଲ୍ଲାର ଏକମାତ୍ର “ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଲକାନଗିରି” ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛି । ବିଦ୍ୟାଳୟର ଉନ୍ନତ ଶିକ୍ଷାଦାନ ପଦ୍ଧତି, ଶୃଙ୍ଖଳିତ ପରିବେଶ, ରହଣି ବ୍ୟବସ୍ଥା ଓ ଗମନାଗମନ ସୁବିଧା କାରଣରୁ ଜିଲ୍ଲାର ଅଧିକାଂଶ ଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ଏହି ମହିଳା ବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି । ଅଭିଭାବକ ଓ ଛାତ୍ରୀମାନଙ୍କ ଦୀର୍ଘଦିନର ଦାବିକୁ ଦୃଷ୍ଟିରେ ରଖି ବିଗତ ବର୍ଷ ବିଦ୍ୟାଳୟର ସିଟ୍ ସଂଖ୍ୟା ବୃଦ୍ଧି ପାଇ ୪୧୬ କୁ ପହଞ୍ଚିଥିବା ଜଣାପଡ଼ିଛି । ନୂତନ ପିଢ଼ୀର ଚାହିଦାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ନୂତନ ବିଷୟ ଖୋଲିବା ପାଇଁ ମଧ୍ୟ ଦାବି ଜୋର ଧରିଛି ।
ଚଳିତ ବର୍ଷ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାରେ ବିଦ୍ୟାଳୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ମୋଟ ୩୫୦ ଜଣ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୩୩୪ ଜଣ ଉତ୍ତୀର୍ଣ୍ଣ ହୋଇ ୯୫.୪୨% ସଫଳତା ହାର ରେକର୍ଡ କରିଛନ୍ତି । ୯୭ ଜଣ ପ୍ରଥମ ଶ୍ରେଣୀ, ୧୧୫ ଜଣ ଦ୍ୱିତୀୟ ଶ୍ରେଣୀ ଓ ୧୨୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ପରୀକ୍ଷାରେ ପ୍ରତିଭା ରାଣୀ ନାୟକ ୫୦୯ ନମ୍ବର ରଖି ବିଦ୍ୟାଳୟର ସର୍ବୋଚ୍ଚ ମାର୍କ ଧାରୀ ହୋଇପାରିଛନ୍ତି । ଏହି ସଫଳତାକୁ ନେଇ ଛାତ୍ରୀ ଓ ଅଭିଭାବକ ମହଳରେ ଖୁସିର ଲହରୀ ଖେଳିଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା ସମସ୍ତ କୃତୀ ଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି । ଏହି ଅବସରରେ ଜିଲ୍ଲାର ଏକମାତ୍ର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସରକାରୀକରଣ କରି ସରକାରଙ୍କ ହାତକୁ ନେବା ପାଇଁ ସାଧାରଣରେ ଦାବି ଜୋର ଧରିଛି । ନାରୀଶିକ୍ଷାର ବିକାଶ ସହ ଉପାନ୍ତ ଅଞ୍ଚଳର ଝିଅମାନଙ୍କୁ ଉଚ୍ଚଶିକ୍ଷା ମାର୍ଗରେ ଆଗେଇ ନେବାରେ ଏହି ଅନୁଷ୍ଠାନ ଏକ ପ୍ରେରଣା ପାଲଟିଥିବା ମତ ପ୍ରକାଶ ପାଇଛି ।




