ବ୍ଲକ ପକ୍ଷରୁ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଚମ୍ପୁଆ,୬।୬: କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଚମ୍ପୁଆ ପଞ୍ଚାୟତ ସମିତି ଓ ବନବିଭାଗର ମିଳିତ ସହଯୋଗରେ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚମ୍ପୁଆ ବନବିଭାଗ ପକ୍ଷରୁ ପ୍ରତି ଗ୍ରାମପଞ୍ଚାୟତରୁ ୧୦୦ରୁ ଉର୍ଦ୍ଧ୍ୱ ଚାରାଗଛ ପ୍ରଦାନ କରାଯାଇଥିଲା । ଚମ୍ପୁଆ ପଞ୍ଚାୟତ ସମିତି ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ମୃତିରଞ୍ଜନ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ଲକର ୨୨ଗୋଟି ଗ୍ରାମପଞ୍ଚାୟତରୁ ପ୍ରାୟ ୨୨୦୦ ରୁ ଉର୍ଦ୍ଧ୍ୱ ଚାରା ଗଛ ପ୍ରଦାନ କରାଯାଇଥିଲା । ପ୍ରତି ଗ୍ରାମପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ, ଏଡିଓ ଆଦିଙ୍କ ଗହଣରେ ଉକ୍ତ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଛି ।

ବନବିଭାଗ ରେଞ୍ଜ ଅଧିକାରୀ ଏସିଏଫ ଅକ୍ଷୟ ଛତ୍ରିଆ, ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ମୃତିରଞ୍ଜନ ସାହୁ, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଚୁନୁ ହାଁସଦା ଆଦିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ଗ୍ରାମପଞ୍ଚାୟତରେ ଉଭୟ ବନକର୍ମଚାରୀ ଓ ପଞ୍ଚାୟତ ସମିତି କର୍ମଚାରୀ ଆଦି ଏଥିରେ ସହଯୋଗ କରିଥିଲେ । ଏହି ବୃକ୍ଷରୋପଣରେ ବନବିଭାଗ ପକ୍ଷରୁ ପୂର୍ବରୁ ପ୍ରତିଗ୍ରାମପ଼ଞ୍ଚାୟତକୁ ଅଁଳ ଚାରାଗଛ ୨୦ଗୋଟି, କଞ୍ଚନ ୨୦ଗୋଟି, ଅମୃତଭଣ୍ଡା ୧୦ଟି , ସୁଜୁନି ୨୦ଟି, ଗଙ୍ଗଶିଉଳି ୧୦ଟି, ଶାଗୁଆନ ୧୦ଟି, ପଣସ ୧୦ଟି ଆଦି ଚାରାଗଛ ପ୍ରଦାନ କରାଯାଇଥିଲା । ସେହିପରି ବନବିଭାଗ ପକ୍ଷରୁ ଚମ୍ପୁଆ ବ୍ରହ୍ମକୁମାରୀ ଆଶ୍ରମକୁ ମଧ୍ୟ ୫୦ଗୋଟି ବିଭିନ୍ନ ଚାରାଗଛ ପ୍ରଦାନ କରାଯାଇଥିଲା । ତେବେ ପ୍ରତିବର୍ଷ ଏହିପରି ହଜାର ହଜାର ଗଛ ଲଗାଯାଉଛି, ରକ୍ଷଣାବେକ୍ଷଣର ଅଭାବରୁ ବହୁଗଛ ନଷ୍ଟ ହେଉଛି । ତେଣୁ ଗଛଗୁଡିକୁ ଉପଯୁକ୍ତ ଯତ୍ନ ନେଇ ଅନ୍ତତଃ ପକ୍ଷେ ୫ବର୍ଷ ଯାଏଁ ତାର ରକ୍ଷଣା ବେକ୍ଷଣ କରିବା ଉପରେ ସମସ୍ତଙ୍କୁ ଅବଗତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *