ଓଡିଆ ସମାଜ ଆବୁଧାବି (ଓସା) ପକ୍ଷରୁ ପାଳିତ ହେଲା “ଉତ୍କଳ ଦିବସ”

ଓଡିଆ ସମାଜ ଆବୁଧାବି (ଓସା) ପକ୍ଷରୁ “ଉତ୍କଳ ଦିବସ” ଅତ୍ୟନ୍ତ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଭାବବିହ୍ୱଳ ପରିବେଶ ମଧ୍ୟରେ ମହାଆଡମ୍ବର ସହିତ ପାଳିତ ହୋଇଯାଇଛି । “ଉତ୍କର୍ଷ-୨୦୨୬” ଶୀର୍ଷକ ଏହି ବାର୍ଷିକ ସାଂସ୍କୃତିକ ମହୋତ୍ସବ ଆବୁଧାବିସ୍ଥିତ ଆରବ ସାଗର କୂଳରେ ଅବସ୍ଥିତ ସୁନ୍ଦର, ସୁରମ୍ୟ ଓ ସୁସଜ୍ଜିତ “ପିକ୍ସୋଲ୍” ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ପ୍ରତୀକ୍ଷିତ ଏହି ମହାସମାରୋହକୁ କେନ୍ଦ୍ର କରି ସମଗ୍ର ପ୍ରେକ୍ଷାଳୟ ପରିସର ଏକ କ୍ଷୁଦ୍ର ଓଡ଼ିଶାର ରୂପ ଧାରଣ କରିଥିଲା । ଓଡ଼ିଆ ସମାଜର ସଦସ୍ୟ, ପରିବାରବର୍ଗ, ପରିଜନ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା। “ଓଡିଆ ସମାଜ ଆବୁଧାବି” ର ଅଧ୍ୟକ୍ଷ ଶ୍ରୀ ସୌଗତ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଯୁକ୍ତ ଆରବ ଏମିରେଟ୍ସର ବିଭିନ୍ନ ସ୍ଥାନରୁ ପ୍ରାୟ ପାଞ୍ଚଶହରୁ ଅଧିକ ପ୍ରବାସୀ ଓଡ଼ିଆଙ୍କର ବ୍ୟାପକ ଉପସ୍ଥିତି ଦେଖିବାକୁ ମିଳିଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୟୁ.ଏ.ଇ ରେ ଭାରତର ରାଜଦୂତ ଡ଼ଃ ଦୀପକ ମିତଲ ଯୋଗଦେଇ ବିଦେଶ ମାଟିରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ଓଡିଆ ସମାଜର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ବିଧାନସଭା ସଦସ୍ୟା ଶ୍ରୀମତୀ ସୋଫିଆ ଫିର୍ଦୋସ ଯୋଗଦେଇ ଉତ୍କଳ ଦିବସର ଐତିହ୍ୟ ଏବଂ ଓଡ଼ିଶାର ଗୌରବମୟ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ଦେବାଶିଷ ପଟ୍ଟନାୟକ ଓଡିଆ ସମାଜର ଏହି ଭବ୍ୟ ଆୟୋଜନକୁ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଆ ସମାଜର ଉପଦେଷ୍ଟା ଶ୍ରୀ ପ୍ରଦୀପ କୁମାର ରଥ ଓଡ଼ିଶା ତଥା ଉତ୍କଳର ସ୍ୱର୍ଣ୍ଣିମ ଇତିହାସ, କଳା ଓ ସଂସ୍କୃତି ଉପରେ ଆଲୋକପାତ କରି ସଭାରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉପଦେଷ୍ଟାମଣ୍ଡଳୀର ସଦସ୍ୟ ଡ଼ଃ ହିମାଂଶୁ ଦାସ ଓ ଶ୍ରୀ କାର୍ତ୍ତିକ ସିଂହଙ୍କ ଉପସ୍ଥିତିରେ ଓଡ଼ିଆ ସମାଜର କର୍ମକର୍ତ୍ତା ସିଦ୍ଧାର୍ଥ ଦାସ, ସୁକର୍ଣ୍ଣ ବେହେରା, ଜିତେନ୍ଦ୍ର ମିଶ୍ର, ସୁଶାନ୍ତ ମହାପାତ୍ର, ଚିନ୍ମୟ ନାୟକ, ସମ୍ବିତ କୁମାର ମହାନ୍ତି, ଟି. କେଶବ ରାଓ ପ୍ରମୁଖଙ୍କ ସକ୍ରିୟ ସହଯୋଗ ଓ ଅବଦାନରେ “ଉତ୍କର୍ଷ-୨୦୨୬” ସଫଳତାର ସହିତ ଆୟୋଜିତ ହୋଇଥିଲା। ଏହା ସହିତ ସୁମିତ କୁମାର ପଣ୍ଡା, ଶୁଭ୍ରା ସାମଲ, ଶିପ୍ରା ଦାସ, ଅସ୍ମିତା ପଟେଲ, ସୁବୋଧ କୁମାର ସାହୁ, ପ୍ରଦୀପ କୁମାର ସାହୁ, ବିଶ୍ୱରଞ୍ଜନ ଜେନା ଓ ଦିଲୀପ କୁମାର ନାୟକଙ୍କ ଅତୁଳନୀୟ ସହଯୋଗ କାର୍ଯ୍ୟକ୍ରମକୁ ଅଧିକ ସଫଳ ଓ ଆକର୍ଷଣୀୟ କରିଥିଲା।

ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଭାକାର୍ଯ୍ୟ ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ଓଡ଼ିଆ ସମାଜର ସ୍ମରଣୀକା “ପ୍ରବାସୀ ଉତ୍କର୍ଷ”ର ଅଷ୍ଟମ ସଂସ୍କରଣ ଉନ୍ମୋଚନ କରାଯାଇଥିଲା।

ସାଙ୍ଗୀତିକ, ସାହିତ୍ୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଆ ସଂସ୍କୃତିର ବିଭିନ୍ନ ଝଲକ ଅତ୍ୟନ୍ତ ଆକର୍ଷଣୀୟ ଭାବେ ପ୍ରଦର୍ଶିତ ହୋଇଥିଲା। ଓଡ଼ିଆ ସମାଜର ଆଭ୍ୟନ୍ତରୀଣ କଳାକାରମାନେ ନିଜର ନୃତ୍ୟ, ସଙ୍ଗୀତ ଓ ସାହିତ୍ୟିକ ପ୍ରତିଭାର ସୁନ୍ଦର ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସଶାଙ୍କ ଶେଖର ଓ ଦୀପ୍ତିରେଖା ପାଢୀ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ଭାବବିହ୍ୱଳ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଓଡ଼ିଶାର ସୁପରିଚିତ ଉପସ୍ଥାପକ ସଞ୍ଜୀବ କୁମାର ଓ ସମ୍ବଲପୁରର ହାସ୍ୟ ଅଭିନେତା ଯୋଗେଶ ଜୋଜୋ ନିଜର ହାସ୍ୟରସାତ୍ମକ ଉପସ୍ଥାପନା ମାଧ୍ୟମରେ ଦର୍ଶକଙ୍କୁ ଆମୋଦିତ କରିଥିଲେ। ଓଡ଼ିଶାର ସୁନାମଧନ୍ୟ ଫ୍ୟାଶନ ଡିଜାଇନର ଦୀପିକା ଗୌଡଙ୍କ ସହଯୋଗରେ ସ୍ୱାତୀ ଦାସ ଓ ଶୁଭ୍ରା ସାମଲଙ୍କ ନେତୃତ୍ୱରେ ଏକ ଆକର୍ଷଣୀୟ ଫ୍ୟାଶନ ଶୋ’ର ଆୟୋଜନ ହୋଇଥିଲା।

ଏହି ଅବସରରେ ପାରମ୍ପରିକ ଓଡ଼ିଆ ଖାଦ୍ୟର ଆସ୍ୱାଦନ କରି ସମସ୍ତ ପ୍ରବାସୀ ଓଡ଼ିଆ ଭାରି ଆନନ୍ଦିତ ହୋଇଥିଲେ। ଆଗାମୀ ଦିନରେ ଏହିପରି ଅନେକ ସାଂସ୍କୃତିକ ସମାବେଶ ଓ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ସୌଗତ ନାୟକ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *