WODC ଅଧ୍ୟକ୍ଷ ପଦକୁ ନେଇ ଗେରୁଆ ଦଳରେ ଜୋରଦାର ଚର୍ଚ୍ଚା: ପୁରୁଖା ନେତା ନା ମହିଳା କାର୍ଡ?

ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଗଠିତ ‘ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’ (WODC) ର ଅଧ୍ୟକ୍ଷ ପଦବୀକୁ ନେଇ ଏବେ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି। ପ୍ରାୟ ଦୁଇ ବର୍ଷ ହେବ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଥିବା ବେଳେ ଶାସକ ବିଜେପି କାହିଁକି ଏପର୍ଯ୍ୟନ୍ତ କୌଣସି ନାମ ଘୋଷଣା କରିପାରୁନି, ତାହାକୁ ନେଇ ଦଳ ଭିତରେ ଓ ବାହାରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସହ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳର ସନ୍ତୁଳିତ ବିକାଶ ପାଇଁ WODC ଗଠିତ ହୋଇଥିଲେ ମଧ୍ୟ, ଅଧ୍ୟକ୍ଷ ନଥିବାରୁ ଅନେକ ବିକାଶମୂଳକ ପଦକ୍ଷେପ ପ୍ରଭାବିତ ହେଉଥିବା ଅଭିଯୋଗ ଆସୁଛି। ଏହି ପଦବୀକୁ ନେଇ ଗେରୁଆ ଦଳରେ ଏବେ ଗୋଷ୍ଠୀ ସମୀକରଣ ଓ ଆଞ୍ଚଳିକ ସନ୍ତୁଳନ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି।ଦୌଡ଼ରେ ଚାରି ପ୍ରମୁଖ ନେତା ବର୍ତ୍ତମାନ WODC ଅଧ୍ୟକ୍ଷ ପଦବୀ ପାଇଁ ବିଜେପିର କେତେକ ବରିଷ୍ଠ ଓ ପ୍ରଭାବଶାଳୀ ନେତାଙ୍କ ନାମ ଚର୍ଚ୍ଚାରେ ରହିଛି।


ପୂର୍ବତନ ରାଜ୍ୟ ସଭାପତି ଓ କଳାହାଣ୍ଡିର ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କୁ ଦଳର ଜଣେ ଅଭିଜ୍ଞ ସଂଗଠକ ଭାବେ ଦେଖାଯାଏ। ଆରଏସଏସ ପୃଷ୍ଠଭୂମି ଓ ପଶ୍ଚିମ ଓଡ଼ିଶାରେ ତାଙ୍କର ଗ୍ରହଣୀୟତା ତାଙ୍କୁ ଏହି ପଦ ପାଇଁ ଶକ୍ତିଶାଳୀ ଦାବିଦାର କରିଛି।ପୂର୍ବତନ ବିରୋଧୀ ଦଳ ନେତା ଓ କଳାହାଣ୍ଡିର ଜଣେ ସକ୍ରିୟ ଚେହେରା ପ୍ରଦୀପ୍ତ ନାଏକଙ୍କର ପ୍ରଶାସନିକ ଅଭିଜ୍ଞତା ଓ ସରକାରୀ ବ୍ୟବସ୍ଥା ଉପରେ ଦୃଢ଼ ପକଡ଼ ରହିଛି। ମନ୍ତ୍ରୀ ଭାବେ କାମ କରିଥିବାରୁ ବିକାଶ ପରିଷଦ ପରିଚାଳନାରେ ସେ ଦକ୍ଷତା ଦେଖାଇପାରିବେ ବୋଲି ଦଳୀୟ ମହଳରେ ଚର୍ଚ୍ଚା ହେଉଛି।ସମ୍ବଲପୁରର ପୂର୍ବତନ ବିଧାୟକ ନାଉରୀ ନାୟକ ଜଣେ ସରଳ ଓ ନିଷ୍କଳଙ୍କ ନେତା ଭାବେ ପରିଚିତ। ପେଶାରେ ଆଇନଜୀବୀ ଥିବାରୁ ପ୍ରଶାସନିକ ଓ ଆଇନଗତ ବିଷୟରେ ତାଙ୍କର ଦକ୍ଷତା ଦଳ ପାଇଁ ଲାଭଦାୟକ ହୋଇପାରେ।ସୁନ୍ଦରଗଡ଼ର ପୂର୍ବତନ ବିଧାୟିକା ଓ ଜିଲ୍ଲା ପରିଷଦ ସଭାପତି କୁସୁମ ଟେଟେଙ୍କ ନାମ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ। ତୃଣମୂଳ ସ୍ତରରୁ ଉଠିଆସିଥିବା ଏହି ନେତ୍ରୀଙ୍କର ଜନସମ୍ପର୍କ ଓ ସଂଗଠନ ଉପରେ ଭଲ ପକଡ଼ ରହିଛି।

ମହିଳା କାର୍ଡ ଖେଳିପାରେ ବିଜେପି!

ରାଜନୈତିକ ମହଳରେ ଏବେ ଚର୍ଚ୍ଚା ହେଉଛି ଯେ, ଗୋଷ୍ଠୀ କନ୍ଦଳକୁ ଏଡ଼ାଇବା ପାଇଁ ବିଜେପି ଏଥର “ମହିଳା କାର୍ଡ” ଖେଳିପାରେ। କୁସୁମ ଟେଟେଙ୍କୁ ଯଦି WODC ର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଦିଆଯାଏ, ତେବେ ଏହା ମାଧ୍ୟମରେ ଦଳ ମହିଳା ସଶକ୍ତୀକରଣର ବଡ଼ ସନ୍ଦେଶ ଦେଇପାରିବ।

ଏହା ସହିତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଥିବା ଟଣାଓଟଣିକୁ ମଧ୍ୟ ଶାନ୍ତ କରିବାରେ ଏହି ପଦକ୍ଷେପ ସାହାଯ୍ୟ କରିପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି। କୁସୁମ ଟେଟେ ପୂର୍ବରୁ ଜିଲ୍ଲା ପରିଷଦ ସଭାପତି ଭାବେ କାମ କରିଥିବାରୁ ଗ୍ରାମୀଣ ବିକାଶ ଓ ପ୍ରଶାସନିକ ଅନୁଭବ ମଧ୍ୟ ତାଙ୍କ ପକ୍ଷରେ ଯାଉଛି।
WODC ଅଧ୍ୟକ୍ଷ ପଦବୀ ଏବେ କେବଳ ଏକ ରାଜନୈତିକ ନିଯୁକ୍ତି ନୁହେଁ, ବରଂ ପଶ୍ଚିମ ଓଡ଼ିଶାର ବିକାଶ ଓ ଆଞ୍ଚଳିକ ସନ୍ତୁଳନ ସହ ଜଡ଼ିତ ଏକ ବଡ଼ ପ୍ରସଙ୍ଗ ହୋଇପଡ଼ିଛି। ଦଳ ଶେଷରେ କାହା ଉପରେ ଭରସା କରୁଛି ଏବଂ କେବେ ଏହି ନିଯୁକ୍ତି ହେଉଛି, ତାହାକୁ ନେଇ ପଶ୍ଚିମ ଓଡ଼ିଶାର ରାଜନୀତିକ ମହଳରେ ଉତ୍ସୁକତା ବଢ଼ିଚାଲିଛି।

Leave a Reply

Your email address will not be published. Required fields are marked *